Unknown

 

 

 

 

 

 

 

 

 

 

ମାନିନୀ ଚଉତିଶା

କୃଷ୍ଣ ଦାସ

 

କଥାଏ କିଞ୍ଚିତେ ଅପାର ଦିନ ହୁଁ

ଲୋଡ଼ୁଥାଇ ପ୍ରାଣସହୀ,

କଠିଣ ହିଆ ତୋ କିଞ୍ଚିତେ ନ ଚାହୁଁ

କେ ତୋତେ ଗଢ଼ିଲା ବିହି ।

ମାନିନୀ ! ଗୋ ।।୧।।

 

କ୍ଷଣ କ୍ଷଣକେ ଛଟକେ ଚାହୁଁଥାଉ

ପ୍ରାଣ ହୁଅଇ କି କରି,

ଖେଳିବା ହସିବା ଦୁଇ ପାସୋରିଲୁ

ତୋ ରୂପ ଗୁଣ ସୁମରି ।।୨।।

 

ଗରବ ଗଞ୍ଜନୀ ଗରୁଆ ଭାବିନୀ

ଗରବେ ନ କହୁ କଥା,

ଗତ ପୀରତିକି ସବୁ ପାସୋରିଲୁ

ଚାହିଁଲେ ପୋତୁଛୁ ମଥା ।।୩।।

 

ଘଟଣ ଘନ ବେନି କୁଚ ଉପରେ

ବସନ ଘୋଡ଼ାଇ ଥାଉ,

ଘନ ତୋ ଘନ ମତ୍ତ ଗଜ ଚାଲିକି

ବାରେ ଲେଉଟି ନ ଚାହୁଁ ।।୪।।

 

ନାଗରୀ ନାରୀ ନିର୍ଦ୍ଦୟା ପଣ କରି

କହିଲେ ନଶୁଣୁ ବାଣୀ,

ନବ ଯଉବନୀ ବୟସ ସୁନ୍ଦର

କେତେ ଗଞ୍ଜାଉ ତରୁଣୀ ।।୫।।

 

ଚିତ୍ତ ସ୍ଥିର କରି ଦମ୍ଭେ ଚାହୁଁ ଥାଉ

ଚୋରର ପ୍ରାୟେ ତୋ ମନ,

ଚନ୍ଦନ ଶୀତଳ ଗନ୍ଧକି ଘେନଇ

ଏ ଛାର ହୀନ ଜୀବନ ।।୬।।

 

ଛଇଳପଣ ଉପେକ୍ଷିରେ ସୁନ୍ଦରୀ

ଛାଡ଼ ଅଧମ ପୀରତି

କ୍ଷିତିରେ କଥା ଯୁଗେ ଯୁଗେ ରହିବ

ବିନୟ ଘେନ ଯୁବତୀ ।।୭।।

 

ଯୁବା ବୟସେ ଦମ୍ଭପଣ ଯେତେକ

କରୁ ତୁ ଚତୁରୀ ସହୀ,

ଯୁଗେ ଯୁଗେ ଭେଟା ଭେଟି ହୋଇବାକୁ

ତୋତେ ମୋତେ କଲା ବିହି ।।୮।।

 

 

ଝଟକ ଦାମିନୀ ପ୍ରାୟେରେ ମିତଣୀ

ଯୁବା ଯଉବନ ଖିନ୍ନ,

ଝଳି ଚନ୍ଦ୍ରମା ଦିନେ ଦିନେ ତୁଟଇ

ଉଆଁସ ରାତ୍ରରେ ଖିନ୍ନ ।।୯।।

 

ନୀର କୁମ୍ଭ ଘେନି ବାହାର ତରୁଣୀ

ପଥକୁ ଚାହୁଁ ତୁ ହେରି,

ନିର୍ଲଜ୍ଜ ଭ୍ରମରା କି ସୁଖ ଜାଣଇ

ତୋ ଲାଗି ମରୁଛି ଝୁରି ।।୧୦।।

 

ଟେକି ପଣନ୍ତ ହିଆରେ ଦେଉଥାଇ

ଟଳି ପଡ଼ିବାକୁ ଊରୁ,

ଟେକ ଯଉବନ ବୟସ ସୁନ୍ଦର

ଫଳ କି ଲତାରୁ ଗୁରୁ ।।୧୧।।

 

ଠିକେ ଠାରି ଦେଲେ ସଂକେତ ସ୍ଥାନକୁ

ଗଲା ପରି ଦିନ ନିଶି,

ଠିକ ପୀରତି ପ୍ରେମ ସୁଧା ଦେଇଣ

ବାରେ କହ କିନା ହସି ।।୧୨।।

 

 

ଡରାଉ ଥାଉ ଚନ୍ଦ୍ରସେଣା ପତିକି

ତହିଁ କି ନାହିଁ ମୋ ଭୟେ ।

ଡଙ୍କସର ଲାଗି ମୋ ପ୍ରାଣ ଝୁରଇ

ପାରିଲେ କର ସଦୟେ ।।୧୩।।

 

ଢାଙ୍କିଛୁ ଅଧରେ ଅମୃତରେ ସଖୀ

ତହିଁକି ତୋହରି ଆଶ ।

ଢଗ ଢମାଳି ଯେତେକ କଉତୁକ

କଳଇଁ ତୋହରି ପାଶ ।।୧୪।।

 

ଅନେକ ଗଞ୍ଜଣା ଗଞ୍ଜେ ଗୁରୁଜନା

ରହିଛ କାହା ମୁହାଁସେ ।

ଅଣଭାବ ପ୍ରୀତି ଛାଡ଼ରେ ମିତଣୀ

ପ୍ରାଣପତି ପ୍ରାଣ ନାଶେ ।।୧୫।।

 

ସ୍ତିରୀ କି ପୁରୁଷ ବିଧାତା ଭିଆଣ

ଜାଣି ସର୍ଜିଅଛି ବିହି ।

ତୁ ଯେବେ ବିମୁଖ ହୋଇଲୁ ମିତଣୀ

ପ୍ରାଣବନ୍ଧୁ ପ୍ରୀତି ପାଇଁ ।।୧୬।।

 

 

ଥାଇ କଂସ ରାୟେ କଲା ମହାଭୟେ

ପୁତନାକୁ ପେଷିଥିଲା ।

ଥନେ ବିଷ ଭରି କପଟେ ପିଆଇ

ଅଧର୍ମେଣ ନାଶ ଗଲା ।।୧୭।।

 

ଦଇନି କରିଣ କହୁଛି ସୁନ୍ଦରୀ

ବହନ ଆସ ତୁ ଧାଇଁ ।

ଦୋଷ ଉପେକ୍ଷି କୋଳରେ କର ସଖୀ

କାଖରୁ କଳସ ଥୋଇ ।।୧୮।।

 

ଧୂରୁ ହସ୍ତଧରି ଅଛିରେ ସଙ୍ଗାତ

ବହନ ଆସ ତୁ ଧାଇଁ

ଧସାଇ ବିନ୍ଧୁଛି ପଞ୍ଚଶର ବାଣ

କାମ ଗରଳ ମିଶାଇ ।।୧୯।।

 

ନିଶି ଅବଶେଷେ ଶ୍ରୀମୁଖରେ ସଖୀ !

ବଂଶୀଧର ବଟମୂଳେ ।

ନିୟମ କରିବେଣୁ ଛୁଇଁ ଅଇଲୁ

ସେ କଥା ପାସୋରୁ ଢାଳେ ।।୨୦।।

 

 

ପାଚଲା ଆମ୍ବକୁ କାକ ଗରାସିଛି

କାକର ଅଧମପଣ ।

ପାପ ଲାଗିଅଛି ରତନ ଆମ୍ବକୁ

କୋକିଳ ନାହିଁ ଦର୍ଶନ ।।୨୧।।

 

ଫାଇ ବିଳମ୍ବନ କର ରେ ମିତଣୀ !

ଫୁରୁଣା କର ମନକୁ ।

ଫୁଲର ଭାବ ଯେ ଭ୍ରମର ଜାଣଇ

ଛାଡ଼ ଅଧମ ଜନକୁ ।।୨୨।।

 

ବଡ଼ବା ଅନଳେ ମଦନ ଦହୁଛି

ବିନ୍ଧୁଛି ପଞ୍ଚମ ବାଣ ।

ବାଜୁଛି ଟମକ କୁସୁମ ଶଯ୍ୟାରେ

ବିରୟେ ଅଥିର ମନ ।।୨୩।।

 

ଭାବିନୀ ଚଣ୍ଡୀ ଶାରଳା ଲୟେ କରି

ପ୍ରସନ୍ନ ହୁଅ ତୁ ବସି ।

ଭରସା ଦେଇ କୋଳରେ କର ସଖୀ

ଦଣ୍ଡେ କର ହସାହସି ।।୨୪।।

 

 

ମହତ୍ତ୍ୱ ଗଲା ଦଇବ ଦୁଃଖ ଦେଲା

ଜାଣୁ ତୁ ଚତୁରୀ ସହୀ ।

ମୁହାଁସ ଲଗାଇ କଥା ତୁ ନ କହୁ

ଏଡ଼େ ନିର୍ଦ୍ଦୟା ତୋ ଦେହି ।।୨୫।।

 

ଯହିଁ ଥିବ ଥାଅ ଆମ୍ଭର ବୋଲାଅ

ସମସ୍ତେ ଜାଣନ୍ତି ଏହା ।

ଯୁବା ଚାତୁରୀକି ମଥୁରା ନାଗରୀ

କହି କେ ପାରିବ ଏହା ।।୨୬।।

 

ରାଧିକା ବୋଇଲେ ଶୁଣ ହେ ମାଧବ

କଟାଳ କରୁଛ କେତେ ।

ରଜନୀ ଆଜର ବାହୁଡ଼ିଣ ଯାଅ

କାଲି କହି ସିନା ତୋତେ ।।୨୭।।

 

ଲେଉଟି ଯାଉଛି ଶୁଣରେ ସଙ୍ଗାତ

ନିକି ଛାଡ଼ୁ ତୁ ଆମ୍ଭଙ୍କୁ ।

ନୀଳେନ୍ଦୀ ଲୋଚନ ବୋଲନ୍ତି ଗୋ ରାଧା

ଘେନ ବିନୟ ମନକୁ ।।୨୮।।

 

 

ବସିଛନ୍ତି ମୁନି ପଥ ଅନୁସରି

ଭାବୁଛନ୍ତି ପୁଣି ପୁଣି ।

ବୋଲନ୍ତି ବଚନ ଶୁଣିଣ ରାଧିକା

ଶୁଣ ହେ ରସିକମଣି ।।୨୯।।

 

ଶୁଣିଣ ବଚନ ରାଧିକା ବୋଲନ୍ତି

ଶୁଣ ହେ ରସିକ ବର ।

ଶଶୀ ଚନ୍ଦ୍ର ଯେବେ ଭେଟ ସେ ହୋଇବେ

କରନ୍ତି ମାନକୁ ଦୂର ।।୩୦।।

 

ସଧୀରେ ସଧୀରେ ବିଜୟ ସଙ୍ଗାତ

ମତ୍ତଗଜ ପ୍ରାୟେ କରି ।

ଶରଦ ତନୁକୁ ମାରିବ ଏ ଶର

ବସନ ତହିଁକି ଭାରି ।।୩୧।।

 

ସହଜେ ସୁନ୍ଦରୀ ବସନ ତାହାକୁ

ଜଳରୁ ବାହାର ହୋଇ

ସତେ ହେ ନିଗୃହ କଲୁ କି ସଙ୍ଗାତ

ହୃଦରେ ବାଣ ବିନ୍ଧାଇ ।।୩୨।।

 

 

ହରଷ ହୋଇଣ ରମନ୍ତି ଶ୍ରୀକୃଷ୍ଣ

ରହିଲେ ରାଧା ମନ୍ଦିର ।

ହଜିଲା ଧନ ଯେମନ୍ତ ଜନ ପାଇ

ହରଷ ହୁଏ ମନର ।।୩୩।।

 

ଛଇଳ ରମଣୀ ଛାଡ଼ିଲେ ମାଧବ

ଛ ଚନ୍ଦେ ରାଧା ମନ୍ଦିର ।

କ୍ଷୁଦ୍ର କୃଷ୍ଣ ଦାସ ଶରଣ ସାଗଇ

ରହି ରଙ୍ଗା ଚରଣର ।।୩୪।।

 

ଭାବାର୍ଥ - (୧-୫) ନାୟକଟିଏ ତା’ର ନାୟିକାକୁ ମାନ କରି କହୁଛି – ରେ ପ୍ରାଣସହି, ବହୁତ ଦିନ ହେଲା କଥାଟିଏ କହିବି ବୋଲି ଭାବୁଛି । ତୋର ହୃଦୟ ବଡ଼ କଠିନ । ସାମାନ୍ୟ ଭାବରେ ମୋତେ ଚାହୁଁ ନାହୁଁ । ତୋତେ ବିଧାତା କିମିତି ଗଢ଼ିଛି କେଜାଣି ? ଗୋ ମାନିନି, କ୍ଷଣକ୍ଷଣକେ ଛଟକେ ଚାହୁଁଥାଉ, ପ୍ରାଣ ମୋର ଅଧୀର ହୋଇ ପଡୁଥାଏ । ଖେଳିବା, ହସିବା-ଏ ଦୁଇ କଥାକୁ ପାସୋରି ଦେଲୁ । ତୋ ରୂପ, ଗୁଣକୁ ସୁମରି ମୁଁ କଷ୍ଟ ପାଉଛି । ଗୋ ରବଗଞ୍ଜନି, ଗରୁଆଭାବିନି ତୋ ମନରେ ବଡ଼ ଗର୍ବ । ଗର୍ବରେ କଥା କହୁନାହିଁ । ବିଗତ ଦିନର ସ୍ନେହ, ଶ୍ରଦ୍ଧା, ପ୍ରୀତି ସବୁକୁ ପାସୋରି ଦେଲୁ । ମୋ ତେ ଆଦୌ ଚାହୁଁନାହୁଁ । ମୁଁ ଚାହିଁଲେ ତୁଣ୍ଡ ପୋତି ଦେଉଛୁ ।

 

ତୁ ତୋର ଦୁଇ ଘନ ବକ୍ଷୋଜ ଉପରେ ବସନ ଘୋଡ଼ାଇ ଥାଉ ! ତୋର ମତ୍ତଗଜ ଚାଲି-। କେବେ ହେଲେ ପଛକୁ ଫେରି ଚାହୁଁନାହୁଁ । ରେ ନାଗରି ନାରୀ, କେତେ କରି କହିଲେ ମଧ୍ୟ ମୋତେ କିଛି କହୁନାହୁଁ । ନିର୍ଦ୍ଦୟ ହୁଅନା । ଲୋ ତରୁଣି, ନବଯଉବନି, ସୁନ୍ଦରୀ ବୟସୀ, ମୋତେ ଆଉ ଗଞ୍ଜଣା ଦେ ନାହିଁ ।

 

ଭାବାର୍ଥ- (୬-୧୨) ଗୋ କନକଗୋରି, ତୁ ସର୍ବଦା ଚିତ୍ତ ସ୍ଥିର କରି ଦମ୍ଭର ସହିତ ଚାହୁଁ ଥାଉ । ଚୋର ପ୍ରାୟ ତୋର ମନ । ତୋ ପାଇଁ ମୁଁ ଏ ଜୀବନକୁ ତୁଚ୍ଛ କରିଛି । ଚନ୍ଦନ, ଶୀତଳ, ଗନ୍ଧକି ଘେନୁନାହିଁ । ରେ ସୁନ୍ଦରି, ଛଇଳ ପଣ ଆଉ ଅଧମ ପୀରତି ଭାବକୁ ପରିହାର କରେ । ମୋ ବିନୟ କଥା ଘେନ, ତୁ ଏମିତି କାମ କଲେ, ଜଗତରେ ଯୁଗ ଯୁଗ ଧରି ଏ କଥାଟା ରହିବ । ରେ ଚତୁରୀ ସହି, ଯୁବା ବୟସରେ ତୁ ଯେମିତି ଦମ୍ଭପଣ ଯେତେକ ଦେଖାଉଛୁ, ତାହା ଆମଦୁହିଁଙ୍କ ମଧ୍ୟରେ ଯୁଗଯୁଗ ଧରି ଭେଟାଭେଟି କରିବାକୁ ଦଇବ ଲେଖୁଛି । ରେ ସହି, ଏ ଯୁବା ଯୌବନ ଝଟକ ବିଜୁଳି ପ୍ରାୟ । ଦିନେ ଦିନେ ତେଜୋଦୀପ୍ତ ଚନ୍ଦ୍ରମା ଉଆଁସ ରାତିରେ କ୍ଷୀଣ ହୋଇଯାଇଥାଏ-

 

ରେ ମିତଣୀ, ଜଳ କୁମ୍ଭ ଧାରଣ କରି ବାହାରକୁ ଆସ । ମୋ ଆଡ଼କୁ ଚାହଁ । ନିର୍ଲଜ୍ଜ ଭ୍ରମର ବା କ’ଣ ସୁଖ ଜାଣିବ ? ମୁଁ ତୋ ଲାଗି ଝୁରି ମରୁଛି । ରେ ସୁନ୍ଦର, ତୋର ଜଙ୍ଘ ଟଳି ପଡ଼ିଲେ ପଣତ ଟେକି ଛାତିରେ ଦେଉଥାଉ । ଗୋ ନବ ଯଉବନ, ତୋ ବୟସ ଏତେ ସୁନ୍ଦର ଯେ ଭୁଲି ହେଉନାହିଁ । ତୋ ଉନ୍ନତ ବକ୍ଷୋଜକୁ ଦେଖିଲେ ମନକୁ ଆସେ, ଲତାକୁ ଫଳ ଯେମିତି ଭାରି ହୋଇଯାଇଛି । ତୋତେ ସାମାନ୍ୟ ଠାରି ଦେଲେ ସଙ୍କେତ ସ୍ଥାନକୁ ଦିନ କ’ଣ ରାତି କ’ଣ ଚାଲିଯାଉଥାଉ । ସେ ପ୍ରୀତିକୁ ରକ୍ଷା କରେ । ପ୍ରେମ ଅମୃତ ଦାନ ପୂର୍ବକ ମୋତେ ହସି କରି କଥା ପଦୁଟିଏ କହ ।

 

ଭାବାର୍ଥ - (୧୩-୨୦) ଗୋ ସହି, ତୁ ସର୍ବଦା ଚନ୍ଦ୍ରସେଣା ସ୍ୱାମୀକୁ ଡରାଉଛୁ । ସେଥିପାଇଁ ମୋର ଭୟ ନାହିଁ । ତୋତେ ପାଇବା ପାଇଁ ମୋ ପ୍ରାଣ ଝୁରୁଛି, ପାରିବୁ ଯଦି ଦୟା କର । ରେ ସଖି, ଅଧରରେ ଅମୃତ ଭଣ୍ଡାର ରଖିଛୁ, ସେଥିପ୍ରତି ମୋର ଆଶା ବଳିଛି । ଢଗଢମାଳି କଉତୁକ ଯେତେକ ଅଛି , ତୋରି ପାଖରେ ମୁଁ ବଖାଣୁଛି । ରେ ମିତଣୀ, ଅନେକ ଗଞ୍ଜଣା, ଗୁରୁଜନଙ୍କ ଭର୍ତ୍ସନା ସହି ରହିଛୁ । ଅଣଭାବ ପ୍ରୀତି ଛାଡ଼ି ମୋ ଆଡ଼କୁ ଚାହାଁ । ପ୍ରାଣପତି ମୋ ପ୍ରାଣକୁ ନାଶ କରୁଛି । ମଣିଷକୁ ଗଢ଼ିଲା ବେଳେ ବିଧାତା ସ୍ତ୍ରୀ କି ପୁରୁଷ ଗଢୁଛି ଜାଣେ । ପ୍ରାଣବନ୍ଧୁର ପ୍ରୀତି ପାଇଁ ତୁ ଯେବେ ବିମୁଖ ହେଲୁଣି, କିଏ ବା କ’ଣ କରିବ ?

 

ରେ ମିତଣୀ, କଂସରାଜା ମହାଭୟ କରି ପୂତନାକୁ ପେଷିଥିଲା । ପୂତନା ତା’ ଥନରେ ବିଷ ଭରି କୃଷ୍ଣଙ୍କୁ ପିଆଇଲା । ଅଧର୍ମ କାର୍ଯ୍ୟ ଯୋଗୁଁ ନାଶ ଗଲା । ରେ ମାନିନ, ଗୋ ସୁନ୍ଦର, ବିନତି କରି କହୁଛି, ତୁ ଶୀଘ୍ର ଧାଇଁ ଆସେ, ଦୋଷକୁ ପାସୋରି ଦେଇ, କାଖରୁ କଳସ ଥୋଇ କୋଳେଇ ନେ । ରେ ସଙ୍ଗାତ, ତୋ ହାତ ଧରୁଛି, ଶୀଘ୍ର ତୁ ଧାଇଁ ଆସେ, କନ୍ଦର୍ପ ପଞ୍ଚଶର ବାଣ ମାରି ମୋତେ ଅସ୍ତବ୍ୟସ୍ତ କଲାଣ । ଶରରେ ପୁଣି ବିଷ ମିଶାଇ ଦେଇଛି । ରାତି ଶେଷରେ ବଟ ମୂଳରେ ବଂଶୀଧରଙ୍କ ପାଖରେ ବେଣୁ ଛୁଇଁ ଶପଥ କରିଥିଲୁ, ସେ କଥାକୁ ଏତେ ଶୀଘ୍ର ପାସୋରି ଦେଲୁ ?

 

ଭାବାର୍ଥ- (୨୧-୨୭) ଗୋ ସହି, କାଉ ପାଚିଲା ଆମ୍ବକୁ ଗ୍ରାସ କରିଛି । ଏହା ତା’ର ଅଧମପଣ ନୁହେଁ ତ କଣ ? ରତନ ଆମ୍ବକୁ ପାପ ଲାଗିଛି, କୋଇଲିର ଦର୍ଶନ ମିଳୁନାହିଁ । ରେ ମିତଣୀ, ବିଳମ୍ବ ନ କରି ମନକୁ ଆନନ୍ଦିତ କର । ଫୁଲର ଭାବ ଭ୍ରମର ଜାଣେ । ଏ ଅଧମ ଜନକୁ ଉଦ୍ଧାର କର । ମଦନ ସମୁଦ୍ରଜାତ ଅଗ୍ନିରେ ଦହନ କରୁଛି, ପଞ୍ଚମବାଣରେ ବିନ୍ଧୁଛି । ଫୁଲଶଯ୍ୟାରେ ଶୋଇ ବିରହରେ ଅସ୍ଥିର ମନ ହୋଇ ପଡୁଛି । ରେ ଭାବିନି, ଚଣ୍ଡୀ, ଶାରଳାଙ୍କୁ ଲୟ କରି ମନରେ ପ୍ରସନ୍ନ ହୁଅ । ଭରସା ପ୍ରଦାନ ପୂର୍ବକ କୋଳେଇନିଅ । ନିମିଷକ ପାଇଁ ମଧ୍ୟ ହେଉ ହସାହସି କର ।

 

ରେ ଚତୁରୀ ସହି, ମହତ୍ତ୍ୱ ଗଲା, ଏଣେ ଦଇବ ଦୁଃଖ ଦେଲା । ତୁ ଏହା ସବୁ ଜାଣୁ । ହସ ହସ ମୁହଁରେ ଦି’ ପଦ କଥା ବି ହେଉନାହୁଁ । ତୋ ହୃଦୟ ଏଡ଼େ ନିଷ୍ଠୁର ? ରେ ସହି, ତୁ ଯେଉଁଠି ଥାଅ, ଆମର ହୋଇ ରହିବୁ, ଏ କଥା ସମସ୍ତେ ଜାଣନ୍ତି । ତୁ ଯୁବା ଚାତୁରୀ, ମଥୁରାନାଗରୀକୁ ଏ କଥା କିଏ ବା କହିପାରିବ ? କୃଷ୍ଣଙ୍କ ଠାରୁ ସମସ୍ତ କଥା ଶୁଣି ରାଧିକା କହିଲେ, ହେ ମାଧବ, ମୋତେ କାହିଁକି ଏତେ କଟାଳ କରୁଛ ? ଆଜି ରାତିରେ ଫେରିଯାଅ, ଆସନ୍ତା କାଲି ତୁମକୁ କହିବି ।

 

ଭାବାର୍ଥ (୨୮-୩୪) ରେ ସଙ୍ଗୀତ, ମୋ କଥା ଶୁଣ । ମୁଁ ଲେଉଟି ଯାଉଛି । ଗୋ ରାଧ, ମୋ ବିନୟ କଥା ପୁଣି ଶୁଣ । ମୁନି ଋଷିଗଣ ପଥକୁ ଅନୁସରଣ କରି ମନ ମଧ୍ୟକୁ ବାରମ୍ବାର ଭାବନା ଆଣୁଛନ୍ତି । ଏହା ଶୁଣି ରାଧିକା କହିଲେ- ହେ ରସିକମଣି ଶୁଣ । ଶଶୀ ଓ ଚନ୍ଦ୍ର ଯେବେ ଭେଟ ହେବେ ମୁଁ ମାନକୁ ଦୂର କରିବି । ତା’ ପରେ ଧୀରେ ଧୀରେ । ମତ୍ତଗଜ ପ୍ରାୟ କରି ଶରଦ ତନୁକୁ ଏ ଶର ମାରିବ । ବସନ ସେଥିକୁ ଭାରି ହେବ ।

 

ସହଜରେ ସୁନ୍ଦରୀ ଜଳରୁ ବାହାରି ବସ୍ତ୍ର ବାହାର କଲା । ଶ୍ରୀକୃଷ୍ଣ ହର୍ଷ ମନରେ ରାଧାଙ୍କ ମନ୍ଦିର ମଧ୍ୟରେ ରହିଲେ । ହଜିଥିଲା ଧନକୁ ଲୋକ ପାଇଲା ପରି କୃଷ୍ଣଙ୍କ ମନ ଆନନ୍ଦରେ ଭରିଗଲା । ରାଧାକୃଷ୍ଣ ଦୁହେଁ ପ୍ରେମରେ ମଜ୍ଜିଗଲେ । କବି କୃଷ୍ଣଦାସ ପ୍ରଭୁଙ୍କ ପାଦତଳେ ଶରଣ ପଶିଲେ ।